ବ୍ରିଟିଶ ଯୁବତୀ କ୍ୟାଥରିନ ମେରୀ ହାଇଲିମନ ଉପନିଷଦ ଓ ଗୀତା ଅଧ୍ୟୟନ କରି ପରେ ଭାରତୀୟ ଦର୍ଶନ ପ୍ରତି ଆକୃଷ୍ଟ ହେଲେ । ସେ ଅନୁଭବ କଲେ ଯେ ସାରା ସଂସାରକୁ ଆଧ୍ୟାତ୍ମିକ ମାର୍ଗ ଦେଖାଉଥିବା ଭାରତକୁ ବ୍ରିଟେନ ପରାଧୀନ କରି କରି ରଖିବା ସମ୍ପୂର୍ଣ୍ଣ ରୂପେ ଅନୈତିକ ଅଟେ ।
୧୯୩୨ ମସିହାରେ ସେ ଭାରତ ଆସିଲେ । ବିଭିନ୍ନ ତୀର୍ଥସ୍ଥଳ ଦର୍ଶନ କରି ତାଙ୍କ ହୃଦୟ ଆଧ୍ୟାତ୍ମିକ ଚିନ୍ତନରେ ଆଲୋକିତ ହୋଇଗଲା । ସେ ମହାତ୍ମା ଗାନ୍ଧିଙ୍କୁ ଦର୍ଶନ କରିବା ପାଇଁ ୱାର୍ଦ୍ଧା ଆଶ୍ରମ ଗଲେ । ଗାନ୍ଧିଜୀ ମଧ୍ୟଏହି ଯୁବତୀଙ୍କ ଭାରତ ଭକ୍ତି ଦେଖି ପ୍ରଭାବିତ ହେଲେ ଏବଂ କହିଲେ,
"ଯଦି ତୁମେ ନିଜ ଜୀବନକୁ ଭାରତ ମାତାଙ୍କ ସେବାରେ ଅର୍ପଣ କରିବାକୁ ଚାହୁଁଛ, ତେବେ ସର୍ବ ପ୍ରଥମେ ତୁମକୁ ହିନ୍ଦୀ ଶିଖିବାକୁ ପଡ଼ିବ । ହିନ୍ଦୀ ମାଧ୍ୟମରେ ହିଁ ତୁମେ ଭାରତବାସୀଙ୍କୁ ଅତି ନିକଟରୁ ଚିହ୍ନି ପାରିବ ।"
କ୍ୟାଥରିନ ହିନ୍ଦୀ ଶିଖିଲେ ଓ "ସରଳା ଭଉଣୀ" ନାମରେ ପରିଚିତ ହେଲେ। ଆଲମୋଡ଼ା ଅଞ୍ଚଳରେ ଗରିବ ଓ ଅବହେଳିତ ଲୋକମାନଙ୍କର ସେବାରେ ନିଜକୁ ଉତ୍ସର୍ଗ କଲେ । ଦେଶର ସ୍ୱାଧୀନତା ଆନ୍ଦୋଳନରେ ବି ତାଙ୍କର ସକ୍ରିୟ ଭୂମିକା ଥିଲା ।
ସେ ପାହାଡ଼ି ଇଲାକାର ଅନୁନ୍ନତ ଗାଁକୁ ଗାଁ ବୁଲି ମହିଳାମାନଙ୍କୁ ଶିକ୍ଷିତ କରାଇଲେ । ମଦ ଓ ନିଶା ସେବନ ଶରୀର ପାଇଁ ଘାତକ ବୋଲି ସେ ସଚେତନ କରାଇଲେ । ପାର୍ବତୀୟ କ୍ଷେତ୍ରରେ ଗଛ ସଫା କରିବାର ଦୁଷ୍ପରିଣାମକୁ ଅନୁଭବ କରି ସେ "ସଂରକ୍ଷଣ ନା ବିନାଶ" ନାମକ ଏକ ମହତ୍ତ୍ୱପୂର୍ଣ୍ଣ ଗ୍ରନ୍ଥ ମଧ୍ୟ ରଚନା କରିଥିଲେ ।
ନିଜ ମୃତ୍ୟୁ ପୂର୍ବରୁ ନୈନିତାଲର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ବାଙ୍କେଲାଲ କଂସଲଙ୍କୁ ସେ ଥରେ କହିଥିଲେ,
" ମୋ ଜୀବନର ଅନୁଭୂତିଗୁଡ଼ିକର ନିଷ୍କର୍ଷ ହେଉଛି ଯେ ହିମାଳୟକୁ ବଞ୍ଚାଇବାକୁ ହେଲେ ତାର ସବୁଜ ବୃକ୍ଷରାଜିକୁ ବଞ୍ଚାଇବାକୁ ପଡ଼ିବ। ପବିତ୍ର ଗଙ୍ଗା ନଦୀର ପଵିତ୍ରତାକୁ ରକ୍ଷା କରିବା ପାଇଁ ମିଳିତ ଭାବେ ବ୍ୟାପକ ପଦକ୍ଷେପ ନେବାକୁ ପଡ଼ିବ ।"
ସତରେ, ଜଣେ ବିଦେଶିନୀ ହୋଇ ବି ସେ ଏ ଦେଶ ପାଇଁ ଅହରହ ଚିନ୍ତା କରୁଥିଲେ, ଯାହା ଦେଶବାସୀଙ୍କ ପାଇଁ ଅନୁକରଣୀୟ ହୋଇ ରହିବ।
୩୧.୮.୧୭

No comments:
Post a Comment