'ମୋ ଜୀବନ ସଂଗ୍ରାମ' ପୁସ୍ତକରେ
ସତ୍ୟନାରାୟଣ ରାଜଗୁରୁ ଲେଖିଛନ୍ତି -
ଦିନକର କଥା । ଆମ ଗୃହ ବାରଣ୍ଡାରେ କେତେଜଣ ଛାତ୍ରଙ୍କ ସଙ୍ଗେ ବସି ମୁଁ ଗପସପ କରୁଥାଏ । ସେତିକିବେଳେ ଗୋଟିଏ ଗରିବ ବାଳକ ଛିଣ୍ଡାଲୁଗା ଖଣ୍ଡିଏ ପିନ୍ଧି ମଇଳା ବୁକୁଚାଟିଏ ଧରି ଆମ ନିକଟକୁ ଆସିଲା, ବୋଧେ କିଛି ଭିକ୍ଷା ଆମଠାରୁ ପାଇବା ଆଶାରେ । ପିଲାଟି ଗୌର ବର୍ଣ୍ଣ, ସୁସ୍ଥ ସବଳ; କିନ୍ତୁ ତାର ମୁହଁ ଅନାହାର କ୍ଳିଷ୍ଟ ଓ ଶୁଷ୍କ । ତାକୁ ଦେଖି କେଜାଣି କାହିଁକି ମୋ ମନରେ କୌତୁହଳ ହେଲା । ପଚାରିଲି,
"ଘର ତୁମର କେଉଁଠି ?"
ସେ କହିଲା, "ଖଲ୍ଲିକୋଟ ।"
ମୁଁ - ନାମ ?
ସେ - ବ୍ରହ୍ମଚାରୀ ମୁଇଁ ।
ମୁଁ - ବାପା ମାଆ କିଏ ଅଛନ୍ତି ?
ସେ - ମୋର କେହି ନାହାନ୍ତି ।
ବୁଢ଼ୀମା ଥିଲେ, ମରିଗଲେ ।
ମୁଁ - ଅନାଥ ଭିକାରି ! ତୁମ ବୟସ ?
ସେ - ୧୨ ବର୍ଷ ।
ମୁଁ - ଆଛା ଆମେ ଯଦି ସବୁ ପ୍ରକାର ସାହାଯ୍ୟ କରୁ ତୁମେ ପାଠ ପଢ଼ିବ ?
ଏହା ଶୁଣି ତା'ର ମୁହଁ ଉତ୍ଫୁଲ୍ଲ ଦେଖାଗଲା; କିନ୍ତୁ ଅଳ୍ପ କ୍ଷଣ ପରେ ସେ ମୁଣ୍ଡ ନୁଆଇଁ କହିଲା,
"ବାବୁ, ମୁଁ ତ ଖାଇବାକୁ ପାଉନାହିଁ, ଟଙ୍କା ଦେଇ ପଢ଼ିବି କେମିତି ? ବହିପତ୍ର, ଲୁଗାପଟା ପାଇବି କୁଆଡୁ ?"
ଏ କଥା ଶୁଣି ମୁଁ ଆମର ସାଙ୍ଗ ମାନଙ୍କୁ ଚାହିଁ କହିଲି,
"ଆସ ! ଆମେ ସମସ୍ତେ ମିଶି ଏ ପିଲାଟିକୁ ଚାନ୍ଦା କରି ପଢ଼ାଇବା । ଯଦି ଗୋଟିଏ ଗରିବ ଛାତ୍ରକୁ ମଣିଷ କରାଇ ପାରିବା ତେବେ ଆମମାନଙ୍କର ଦାନ ସାର୍ଥକ ହେବ।"
ଏହା ଶୁଣି ମୋର ସାଙ୍ଗମାନେ ସମସ୍ତେ ଉତ୍ସାହିତ ହେଲେ ।
କିଏ ବହିପତ୍ର ଦେଲା ତ କିଏ ଜାମା ଲୁଗା ତା ପାଇଁ ଆଣି ଦେଲା । ମୁଁ ତା'ର ଖିଆପିଆର ବନ୍ଦୋବସ୍ତ କରିଦେଲି, ରାଧାକାନ୍ତ ମଠର ମହାନ୍ତଙ୍କୁ ଅନୁରୋଧ କରି । ଆଉ ତା ଦରମା ପାଇଁ ସ୍କଲାରସିପର ମଧ୍ୟ ବନ୍ଦୋବସ୍ତ କଲି । ଏଠାରେ କହିରଖିବା ଆବଶ୍ୟକ ଯେ, ମହାରାଜାଙ୍କ ଅନୁଗ୍ରହରୁ ଓଡ଼ିଆ ଛାତ୍ରମାନେ ସମସ୍ତେ ଅଧା ସ୍କୁଲ ଫିସ ଦେଇଥାନ୍ତି । ପୁଣି ମେଧାବୀ ଗରିବ ଛାତ୍ରମାନଙ୍କୁ ସ୍କୁଲ ଫିସ ଦେବା ଛାଡ଼ ହୋଇଥାଏ । ଏପରି ଗରିବ ଛାତ୍ରମାନଙ୍କୁ ଫ୍ରି ସ୍କଲାରସିପ ଦେବା ବିଷୟରେ ମହାରାଜ ଯେଉଁ ଛୋଟ ବିଚାରକ ମଣ୍ଡଳୀ ଗଢ଼ିଥିଲେ, ସେଥିରେ ମୋର ନନା ଥିଲେ ଜଣେ ସଭ୍ୟ, ତାଙ୍କୁ କହି ବ୍ରହ୍ମଚାରୀ ପାଇଁ ଗୋଟିଏ ଅବୈତନିକ ସ୍ଥାନ ଯୋଗାଡ଼ କଲି । ଯଥା ସମୟରେ ସେ ସ୍କୁଲରେ ନାଁ ଲେଖାଇଲା, ଆଉ ପଢ଼ିବା ଆରମ୍ଭ କରିଦେଲା । କଠିନ ଅଧ୍ୟବସାୟ ବଳରେ ସେ ଅଳ୍ପ କାଳ ମଧ୍ୟରେ ତୃତୀୟ ଶ୍ରେଣୀ ପାସ କରିଥିଲା ।
ସେତବେଳକୁ ଭାରତରେ ଦ୍ଵିତୀୟ ପୃଥିବୀ ମହାସମର ପୂର୍ବରୁ ଗୋଟିଏ ଗୋଟିଏ ଇଣ୍ଡିଆନ ବାଟାଲିୟନ ଭାରତର ପ୍ରତି ଅଞ୍ଚଳରେ ଗଢ଼ିବା ନିୟମ ଥାଏ । ମାନ୍ଦ୍ରାଜର ପ୍ରତି ଜିଲ୍ଲାରୁ ସୁସ୍ଥ ସବଳ ଲୋକଙ୍କୁ ବାଛି ସେଥିରେ ନାଁ ଲେଖାଇବା କାର୍ଯ୍ୟ ଚାଲିଥାଏ । ମହାରାଜାଙ୍କ ଉପରେ ଭାର ଦିଆଗଲା ଗଞ୍ଜାମରୁ ବାଳକମାନଙ୍କୁ ବାଛି ଯୁଦ୍ଧ ଶିକ୍ଷା କରିବାକୁ ପଠାଇବାପାଇଁ ।
ଦିନେ କଲେଜରେ ଗୋଟିଏ ବିରାଟ ସଭାରେ ମହାରାଜା ଭାଷଣ ଦେଇ ଆହ୍ୱାନ କଲେ,
"ଯେଉଁ ଛାତ୍ରମାନେ ସମର ଶିକ୍ଷା କରିବାକୁ ଇଚ୍ଛା କରନ୍ତି ସେମାନେ ଠିଆ ହୁଅନ୍ତୁ । ମୁଁ ତାଙ୍କୁ ସରକାରଙ୍କ ଠାରେ ସୁପାରିଶ ପତ୍ର ଦେଇ ମାନ୍ଦ୍ରାଜ ପଠାଇଦେବି ।"
ଯୁଦ୍ଧର ନାଁ ଶୁଣି କେହି ଛାତ୍ର ମହାରାଜାଙ୍କ ଆହ୍ୱାନର ଉତ୍ତର ଦେଲେ ନାହିଁ । ଆମେ ସମସ୍ତେ ପରସ୍ପର ମୁହଁକୁ ଚାହାଁ ଚାହିଁ ହେଲୁ । ସେତିକି ବେଳେ ଦେଖାଗଲା ଯେ ଟିକେ ଦୂରରେ ଗୋଟିଏ ଗୌରବର୍ଣ୍ଣ ସୁସ୍ଥ ସବଳ ବାଳକ ମହାରାଜାଙ୍କ ଆଡ଼କୁ ଚାହିଁ ଠିଆ ହୋଇଛି । ବ୍ରହ୍ମଚାରୀ ମୁଇଁ । ଆମେ ସବୁ ହା ହା କାର କଲୁ । ପିଲାଟା କ୍ଲାସରେ ଭଲ ପଢୁଥିଲା । ଆମର ସାଥିହୋଇ ଯେତେସବୁ କାମ କରୁଥିଲା । ଆମର ଅନୁଗତ ହୋଇ ରହିଥିଲା । ସେ ଆଜି ଯୁଦ୍ଧ ଶିକ୍ଷା କରିବାକୁ ଯିବ ?
ମହାରାଜା ଆନନ୍ଦରେ ହସିହସି ତାକୁ ପାଖକୁ ଡାକି ନେଇ ସବୁ କଥା ପଚାରିଲେ । ପରଦିନ ଗୋଟିଏ ସାର୍ଟିଫିକେଟ ଦେଇ ତାକୁ ମାନ୍ଦ୍ରାଜ ପଠାଇଲେ ।
ଏହାର କେତେବର୍ଷ ପରେ ଦ୍ଵିତୀୟ ପୃଥିବୀ ମହାସମର ଲାଗିଲା । ମୋର ମନେପଡୁଛି ୧୯୪୩ ମସିହାରେ ପୁରୀରୁ ମୁଁ ପାରଳାଖେମୁଣ୍ଡି ଫେରୁଥାଏ । ଖୋର୍ଦ୍ଧା ଷ୍ଟେସନରେ ମାନ୍ଦ୍ରାଜ ମେଲକୁ ଅପେକ୍ଷା କରିଥାଏ । ସେତେବେଳେ ଗୋଟିଏ ସ୍ପେଶାଲ ମିଲିଟାରୀ ଗାଡ଼ି ମାନ୍ଦ୍ରାଜ ଆଡୁ ଆସି ଖୋରଧାରେ ପହଞ୍ଚିଲା । ପ୍ଲାଟଫର୍ମରେ ମୁଁ ଛିଡ଼ା ହୋଇଛି, ହଠାତ ସେ ଗାଡ଼ିର ଗୋଟିଏ ସ୍ୱତନ୍ତ୍ର ବଗିରୁ ଜଣେ ସାହେବ ଓହ୍ଲାଇ ମୋ ଆଡ଼କୁ ଆସିଲେ । ମୁଁ ବାଟରୁ ଟିକିଏ ଆଡ଼େଇ ହୋଇଯାଉଛି, ମୋର ହାତ ଦୁଇଟି ସେ ଧରିପକାଇ ନମସ୍କାର କଲେ । ମୁଁ ଅବାକ୍ ! ଏ କିଏ ? ମୋତେ କାହିଁକି ନମସ୍କାର କରୁଛନ୍ତି ? ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁଥାଏ । ମିଲିଟାରୀ ଡ୍ରେସ ମଣ୍ଡିତ ଜଣେ ଉଚ୍ଚ କର୍ମଚାରୀ ସେ । ଗୋରା ତକତକ୍ ସୁସ୍ଥ ସବଳକାୟ । ସେ ହ୍ୟାଟ ଖଣ୍ଡିକ ବାହାର କରି ସ୍ପଷ୍ଟ ଓଡ଼ିଆରେ କହିଲେ,
"ଚିହ୍ନି ପାରୁନାହାନ୍ତି ! ମୁଁ ପରା ଆପଣଙ୍କର ସେହି ବ୍ରହ୍ମଚାରୀ ମୁଇଁ । ଆପଣଙ୍କ କରୁଣାରୁ ମୁଁ ଆଜି ଏହି ଲେଫ୍ଟନାଣ୍ଟ ପଦବୀରେ ନିଯୁକ୍ତି ହୋଇପାରିଛି ।"
ମୁଁ ଆଶ୍ଚର୍ଯ୍ୟ ହେଲି । ସତେ ଯେପରି ଗୋଟେ ନଗଣ୍ୟ ଭିକାରି ଆଜି ଦେଶମାତୃକାର ସେବାରେ ଉଚ୍ଚତମ ସ୍ଥାନ ଅଧିକାର କରିଛି । ମୋ ମନରେ ଟିକିଏ ଗର୍ବ ସଞ୍ଚାର ହେଲା । ସତେ, ସେଦିନ ମୋର ଉଦ୍ୟମ ଯୋଗୁ ଯେଉଁ ପିଲାଟି ନାଁ ଲେଖାଇ ପାରିଥିଲା, ଆଜି ସେ ଭାଗ୍ୟ ବଳରେ କେତେ ଉଚ୍ଚକୁ ଉଠିପାରିଛି !
ତେଣୁ ସୁବିଧା ଓ ପାରିପାର୍ଶ୍ବିକ ଅବସ୍ଥା ହିଁ ମନୁଷ୍ୟକୁ ଉଚ୍ଚ କିମ୍ବା ନୀଚ କରିଥାଏ ।
୧୧.୭.୧୭

No comments:
Post a Comment