Saturday, 26 August 2017

*ଡାକ୍ତର ଚୟନ*

  ବିଶିଷ୍ଟ ରସାୟନବିତ ନାଗାର୍ଜୁନ ଗୋଟିଏ ରାଜ୍ୟର ବୈଦ୍ୟ ଥିଲେ । ଦିନେ ସେ ରାଜାଙ୍କୁ କହିଲେ, "ମୋତେ ଜଣେ ସହାୟକ ଆବଶ୍ୟକ ।"
ରାଜା ତାଙ୍କ ନିକଟକୁ ଦୁଇ ଜଣ ଯୁବ ବୈଦ୍ୟଙ୍କୁ ପଠାଇଲେ ଏବଂ କହିଲେ, ଆପଣ ଏଇ ଦୁଇ ଜଣଙ୍କ ଭିତରୁ ଜଣକୁ ଚୟନ କରନ୍ତୁ । ନାଗାର୍ଜୁନ ଅସୁବିଧାରେ ପଡ଼ିଗଲେ । କାରଣ ଦୁଇ ଜଣଙ୍କର ଯୋଗ୍ୟତା ଏକା ପ୍ରକାର ଥିଲା ।
ଶେଷରେ ସେ ଦୁଇ ଜଣଙ୍କର ପରୀକ୍ଷା କରିବା ପାଇଁ ଉଭୟଙ୍କୁ ଗୋଟିଏ ଲେଖାଁ ପଦାର୍ଥ ଦେଲେ ଓ କହିଲେ, " ଆସନ୍ତା କାଲି ଏଇ ପଦାର୍ଥରେ ନିଜ ଇଚ୍ଛା ଅନୁସାରେ ଗୋଟିଏ ରସାୟନ ପ୍ରସ୍ତୁତ କରିଆଣ ।"
ପୁଣି କହିଲେ, "ହଁ, ତୁମେ ଦୁହେଁ ଅନ୍ୟ କୌଣସି ମାର୍ଗରେ ନ ଯାଇ କେବଳ ରାଜ ମାର୍ଗରେ ଯାଅ ।"
ନାଗାର୍ଜୁନଙ୍କ କଥା ଅନୁସାରେ ଯୁବ ବୈଦ୍ୟ ଦୁଇ ଜଣ ରାଜ ମାର୍ଗରେ ନିଜ ନିଜ ଘରକୁ ଗଲେ  । ପରଦିନ ଦୁହେଁ ଠିକ୍ ସମୟରେ ଆସି ନାଗାର୍ଜୁନଙ୍କ ପାଖରେ ପହଞ୍ଚିଗଲେ । ସେମାନଙ୍କ ମଧ୍ୟରୁ ଜଣେ ଖାଲି ହାତରେ ଆସିଥିଲା ଓ ଆଉ ଜଣେ ଗୋଟିଏ ରସାୟନ ପ୍ରସ୍ତୁତ କରି ଆଣିଥିଲା ।
ରସାୟନ ଆଣିଥିବା ବୈଦ୍ୟର ରସାୟନକୁ ଆଚାର୍ଯ୍ୟ ପରୀକ୍ଷା କଲେ ଓ ତାର ଗୁଣ ଦୋଷ ପଚାରିଲେ । ଦେଖିଲେ ରସାୟନ ଠିକ୍ ଅଛି ଏବଂ ତାଙ୍କ ଉତ୍ତର ବି ନିର୍ଭୁଲ ଅଛି ।
ଏବେ ଅନ୍ୟ ବୈଦ୍ୟଙ୍କୁ ଆଚାର୍ଯ୍ୟ ପଚାରିଲେ, 'କଣ ହେଲା, ତୁମେ କାହିଁକି ରସାୟନ ଆଣିଲ ନାହିଁ ? ସେ କହିଲେ, ମୁଁ ରସାୟନ ପ୍ରସ୍ତୁତ କରିପାରିଥାନ୍ତି; କିନ୍ତୁ ରାଜ ମାର୍ଗରେ ଯାଉଥିବା ବେଳେ ଦେଖିଲି ଯେ, ଜଣେ ରୋଗୀ ଗଛ ତଳେ ବସି କଷ୍ଟରେ ଛଟପଟ ହେଉଛନ୍ତି । ମୁଁ ତାଙ୍କୁ ଆମ ଘରକୁ ନେଇଗଲି ଓ ତାଙ୍କ ସେବାରେ ଏତେ ବ୍ୟସ୍ତ ରହିଲି ଯେ ରସାୟନ ତିଆରି କରିବା ପାଇଁ ମୋତେ ସମୟ ମିଳିଲା ନାହିଁ ।
ନାଗାର୍ଜୁନ ଦ୍ଵିତୀୟ ବୈଦ୍ୟଙ୍କୁ ଚୟନ କଲେ । ଚୟନ ପ୍ରକ୍ରିୟାର ସାରା ବୃତ୍ତାନ୍ତ ଶୁଣି ରାଜା ନାଗାର୍ଜୁନକୁ ପଚାରିଲେ, "ଆଚାର୍ଯ୍ୟ, ଯିଏ ରସାୟନ ତିଆରି କରିପାରିଲା ନାହିଁ ଆପଣ ତାକୁ କାହିଁକି ଚୟନ କଲେ ?
ନାଗାର୍ଜୁନ କହିଲେ, "ମହାରାଜ, ଏ ଦୁହେଁ ଗୋଟିଏ ରାସ୍ତାରେ ଯାଉଥିଲେ । ଜଣେ ରୋଗୀକୁ ଦେଖି ତୁରନ୍ତ ତାର ଉପଚାର କଲା । କିନ୍ତୁ ଆଉ ଜଣେ ସେହି ରୋଗୀକୁ ଦେଖି ମଧ୍ୟ ନ ଦେଖିଲା ପରି ଚାଲିଗଲା ।
ରସାୟନ ତିଆରି କଷ୍ଟ କାମ ନ ଥିଲା; କିନ୍ତୁ ମୁଁ ପରୀକ୍ଷା କରୁଥିଲି ଯେ ଉଭୟଙ୍କ ଭିତରୁ କିଏ ଅଧିକ ସମ୍ବେଦନଶୀଳ ଓ ହୃଦୟବାନ । ରୋଗୀ, ଡାକ୍ତରଙ୍କ ଔଷଧ ଅପେକ୍ଷା ତାଙ୍କ  କଥାରେ ବା ଆତ୍ମୀୟତା ପୂର୍ଣ୍ଣ ଭାବନା ଦ୍ୱାରା ଶୀଘ୍ର ଭଲ ହୁଏ ।
ତେଣୁ ମୁଁ ତାଙ୍କୁ ନିର୍ବାଚିତ କଲି ।
ଆଚାର୍ଯ୍ୟଙ୍କ କଥା ଶୁଣି ରାଜା ଅତ୍ୟନ୍ତ ଆନନ୍ଦିତ ହେଲେ ।

୧୮.୭.୧୭

No comments: