୧୯୫୪ ମସିହାର କଥା । ନାଗପୁର ଠାରୁ ଅଣତିରିଶ ମାଇଲ ଦୂର ସିନ୍ଦି ନାମକ ସ୍ଥାନରେ ସଙ୍ଘର ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତାମାନଙ୍କର ବୈଠକ ଚାଲିଥାଏ। ଦେଶର ସମସ୍ତ ପ୍ରାନ୍ତରୁ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଭାଗ ନେଉଥାନ୍ତି । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଓ ଶ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥାଆନ୍ତି ।
କାର୍ଯ୍ୟକର୍ତ୍ତାମାନଙ୍କୁ ଉଦବୋଧନ ଦେଇ ଶ୍ରୀଗୁରୁଜୀ କହିଲେ, "ସଙ୍ଘର ସ୍ବରୂପ ଏପରି ହେବା ଉଚିତ ଯାହା ସର୍ବଦା ଅଜେୟ ଓ ଅଭେଦ୍ୟ ହେବ । ଏହାର ଆଦର୍ଶ ହେବେ ପ୍ରାଚୀନ ଭାରତର ଋଷି ମୁନିଗଣ । ଯାହା ଭାରତକୁ ସମୃଦ୍ଧିର ଶିଖର ଦେଶରେ ପହଞ୍ଚାଇ ପାରିବ । କେବଳ ଏତିକି ନୁହେଁ, ଭାରତୀୟ ତତ୍ତ୍ବ ଚିନ୍ତନର ବିଜୟ ପତାକା ବିଶ୍ୱ ଦରବାରରେ ଉଡ଼ାଇବାର ଅଦମ୍ୟ ଲାଳସା ଏଇ ସଙ୍ଗଠିତ ଶକ୍ତିରେ ସତତ ବିଦ୍ୟମାନ ରହୁଥିବ । ଏହି ଶକ୍ତିର ଆଧାର ହେବେ ନିଷ୍ଠାବାନ, ସର୍ବଗୁଣ ସମ୍ପନ୍ନ, ତ୍ୟାଗମୟ, ଅନୁଶାସନବଦ୍ଧ ତରୁଣ। ଯାହାଙ୍କ ହୃଦୟ ଏକତା ଭାବରେ ଅନୁପ୍ରାଣିତ ହେବା ସହ ଉତ୍ସର୍ଗୀକୃତ ଚିନ୍ତାଧାରା ଯୁକ୍ତ ହୋଇଥିବ।"
ଉଦବୋଧନ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମୟରେ ଅଟଳ ବିହାରୀ ବାଜପେୟୀ ଶ୍ରୀଗୁରୁଜୀଙ୍କୁ ନିଜ ମନର ସନ୍ଦେହ ପ୍ରକାଶ କରି ପଚାରିଲେ,
"ଶକ୍ତିର ସ୍ଵଭାଵ ଅସ୍ଥିର। ପୁନଶ୍ଚ ତାହା ଏକତ୍ରିତ ହେଲେ ପାଶବିକ ହୋଇ ବେଳେବେଳେ ଆତ୍ମଘାତୀ ବି ହୋଇଥାଏ । ଆପଣଙ୍କ ଦ୍ୱାରା ବର୍ଣ୍ଣିତ ଶକ୍ତି ପାଶବିକ ନ ହୋଇଯିବ, ଏହାର କଣ ନିଶ୍ଚିତତା ଅଛି ?
ତତ୍ କ୍ଷଣାତ ଭାବଭରି ସାଧୁ ମୁଦ୍ରାରେ, ଏକ ଅନୁପମ ଋଷି କାନ୍ତି ସମନ୍ବିତ ସମର୍ଥ ବାଣୀରେ ଶ୍ରୀଗୁରୁଜୀ ଉତ୍ତର ଦେଲେ, "ଯେଉଁ ଶକ୍ତିର ଅଧିଷ୍ଠାନ ଆଧ୍ୟାତ୍ମିକ ହୋଇଥିବ ତାହା କେବେ ବି ପାଶବିକ ହେବ ନାହିଁ । ଆମର ଏହି ଅଧିଷ୍ଠାନ ଭାଙ୍ଗି ନ ଯାଉ, କେବଳ ଏତିକି ଚିନ୍ତା କରନ୍ତୁ ।"
ଗୁରୁଜୀଙ୍କର ସେହି ଋଷି ମୁଦ୍ରା ଓ ସେହି ନିର୍ଘୋଷ ଉପସ୍ଥିତ ଥିବା ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କ ପ୍ରାଣ ତଥା ମସ୍ତିଷ୍କରେ ଆଜୀବନ ପ୍ରେରଣା ଦେଉଥିଲା ।
୨୩.୮.୧୭

1 comment:
Sundar, shikshaniya.
Post a Comment